“ ଆଉ? ଘରକୁ ମାଇପିଟାଏ, ଭୂଆଷୁଣି ଝିଅଟାଏ, ସେ ଏବେ କରିବ କଣ? ତୁ ଯୋଉଠୁ ହେଲେ ଧାନ କୋଡ଼ିଏ ଗୌଣୀ ଦେଇ ଆସିଲୁନାହିଁ, ସିଏ ଏବେ ଚଳନ୍ତି କେମିତି, କରିବେ କଣ?”
ଯାହା କରି ତା କରନ୍ତୁ। ମୋର କୋଉ ମାଣେ ପାଏ ଅଛି।”
“ ୟା ନା ଫେର୍ ଗୋଟିଏ କଥା! ସେ ତ ଫେର୍ ମୁଠାଏ ଖାଇବେ।”
“ ଆପଣା ପେଟ ପୋଡ଼ିଗଲା ବୋଲି କରି ତ ଏଠି ଆସି ନାଁ ନେଖେଇଲି। ସେଥିକି ମୋର ଆଉ ଚାରା କଣ? ତାଙ୍କ କପାଳରେ ଯାହା ଥିବ ସେ ଭୋଗିବେ-ମୋ କପାଳରେ ଯାହା ଥିବ ମୁଁ ଭୋଗିବି। କୋଉ ପାଇଟି କାମ ମିଳୁଛି ଯେ ବିଲବାଡ଼ିରେ ନାଗିପଡ଼ି ରହିବି।”
“ ଶୁଣିଲୁ ଜଗା ଦାଦି, ୟା ନା- ”
“ସମସ୍ତେ ଅଛ ନାରେ” ସର୍ଦ୍ଦାର ଆସି ସମସ୍ତଙ୍କ ଉପରେ ଆଖି ପକେଇଗଲା
“ ଗାଡ଼ି କାଳୁପଡ଼ାରୁ ଛାଡ଼ିଲାଣି।”
ମୁଣ୍ଡଗଣା ଚାଲିଲା । କଳା କଳା ମଣିଷ ମୁଣ୍ଡ, ଫରୁକୁଟିଆ ମଣିଷ ମୁଣ୍ଡ ଏକ, ଦୁଇ, ତିନି… ଚାରି କୋଡ଼ି ଅଠର… ଆଉ ସବୁ ଗଲେ କୁଆଡ଼େ? ପାଞ୍ଚ କୋଡ଼ି ଚଉଦ।
“ଆମର ଟିକଟ ହେଲାଣି?”
‘ ତମର ଟିକଟ ଦରକାର ହେବନାହିଁ- ଚାଲାଣ, ରେଲବାଇ ଚାଲାଣ, ତମେ ବସ ମୁଁ କରେଇ ଦଉଚି, ସମସ୍ତ ଏକଠେଇ ବସ-କିଏ କୁଆଡ଼େ ଉଠି ପଳେଇବ ନାହିଁ- ରହିଯିବ, ମତେ କହିବ ନାହିଁ।”
ସନେଇ ପ୍ରଧାନ ପଛରେ ମୁସାଫିରଖାନା ବାହାର କାନ୍ଥକୁ ଲାଗି ଗୋଟିଏ ମାଇପି ଲୋକର ନାକ ସୁଡ଼ୁସୁଡ଼ୁ। ସନେଇ ପଧାନ ଚମକି ପଡ଼ିଲା। ତା‘ ମୁହଁରୁ ରଙ୍ଗ ଲିଭିଗଲା।
ତାର ନିସ୍ତେଜ ଆଖି ମୁହୁର୍ତ୍ତକ ପାଇଁ ଇତସ୍ତତ ହୋଇଗଲା, ମୁସାଫିରଖାନାର କାନ୍ଥ ଗୁଡ଼ିକ ଦୋହଲିଲା, ଓସ୍ତଗଛଟା ଆହୁରି ଆକାଶିଆ ହୋଇଗଲା, ଚଟାଣଟା ଅହୁରି ପାତାଳକୁ ପଶିଗଲା। ମାଇପିଟି ସେହିପରି ପଥର କାନ୍ଥରେ ମୁହଁ ମାଡ଼ି କାନ୍ଦୁଥାଏ ସନେଇ ପଧାନର ଉଠିବା ଥାନକୁ ଉଠିଯିବାକୁ ବଳ ପାଇଲା ନାହିଁ-ମାଇପିଟାର ଆର ପଟରୁ ଦିଇଟା ଲୁହ ଛଳ ଛଳ ଆଖି ପାଟିକଲା, “ ବାପା।”
ସନେଇ ପଧାନ ନିଜକୁ ସମ୍ଭାଳି ନେଇ ତାଙ୍କ ପାଖକୁ ଉଠିଗଲା।
“ ତମେ କୁଆଡ଼େ ଚାଲି ଅଇଲ? ଆମେ ଚାରି ଦିନ ହେଲା-” ଲୁହ ଆଉ କୋହ; ବାପା ତୁମେ କୁଆଡ଼େ ଯାଉଛ? ଆମେ-”
ଲୁହ ଆଉ କାନ୍ଦ।
“କିଏ କିରେ?” ଜନତା ଭିତରୁ ପ୍ରଶ୍ନ ଉଡିଲା? ,ଚାଞ୍ଚଲ୍ୟ ଖେଳିଗଲା।
“ ତା ଭାରିଯା ପରା!”
“ତା’ ଝିଅ ସେ”
“ଭୁଆଷୁଣୀ ଝିଅଟା”
“ଦି’ ବରଷ ହେଲା ଘରେ ରହିଲାଣି। ଏ ଯୁଦ୍ଧକାଳ, ବାହା ଦେବାକୁ ତା’ର ଜୁ କେତେ?”
“ସଦିଆ ପରା ଲୁଚି କରି ପଳାଇ ଆସିଛି।”
“ଲୁଚି କରି?”