ସ୍ବାହା




ବେଣୁଧର ବାବୁଙ୍କର ହାଲ୍‌ ଗାଁରୁ ଡ଼େଇଁ ଉପରେ ଗାଁରେ ବାଜିଲା।

          ଛାଇ ନାଉଟା ବେଳକୁ କାହା କାହା ମୁହଁରୁ ଶୁଣାଗଲା ବେନୁଆ ତା’ ଦେଢ଼ମାଣକ ଜମି  ଘର ଡ଼ିହ ସମେତ ବାବନ ଗୋଚ୍ଛାଏତକୁ ଆଠ କୋଡ଼ି ଦଶ ଟଙ୍କାକୁ ଗଲା ଶନିବାର ଦିନ କବଲା କରି ଦେଇଛି। ଖୋଦ ବାବନା ଗୋଚ୍ଛାୟତଙ୍କ ମୁହଁରୁ ଶୁଣି ଥିବା ଜଣେ ଅଧେ କହିଲେ ଚାଣ୍ଡାଳ କାହିଁକି ୟା କଲା। କେଡ଼େ ସୁନ୍ଦର ଘର କରି ଆସୁଥିଲା । ୟେ ଦୁର୍ବୁଦ୍ଧି କିଆଁ ଜୁଟିଲା ତାକୁ।

           ଚୌଧୁରୀଙ୍କ ଚଉପାଢ଼ୀରେ ବି କଥା ପଡ଼ିଲା। ବେନୁଆ କ’ଣ ଆଉ ବାୟା ହୋଇଗଲା। ନାଇ ତ, କାଲି ବେଶ୍‌ ଭଲ କଥା ଭାଷା କରୁଥିଲା। କାଲି ଷାଠିଏ ସତୁରୀ ଲୋକଙ୍କୁ ଭୋଜନ ଦେଇଛି, ଅମାର ତଳ ଝଡ଼ାଝଡ଼ି କରି ଧାନରୁ ଅଗାଡ଼ି ଉଡ଼େଇଛି। କାଲି ସଞ୍ଜରେ ଚୌଧୁରୀଙ୍କ ହାତକୁ କୁଞ୍ଚି ବଢ଼େଇ କରିଗଲା। ଭଲ ଥିଲାତ।

           ସଞ୍ଜ ଲାଗିଲା। ବାବୁ ବେଣୁଧର ସିଂହ ଚମ୍ପାଫୁଲ ହାର ପକେଇ ଦାଣ୍ଡ ଘରେ ନୂଆ ସତରଞ୍ଜି ଉପରେ ବସିଲେ, ନୀଳା ଆସି ପଛପଟେ କାଣ୍ଡି ଦି’ଟା ଢ଼ିରା ଦେଇଗଲା। ବାବୁ ବେଣୁଧର ସିଂହଙ୍କର ବସିଲାଠେଇଁ ଗାଁରୁ ପାଞ୍ଚ ଲୋକ ଆସି ଜମିଲେ। ବିଡ଼ିଆ ଲାଗି ହେଲା, ଖୁସି ଗପ ଚାଲିଲା।

           ମଦନ ସିଂହ ବୁଢ଼ା ଚୁପ୍‌ କରି ବସିଥିଲା, ଅଧେ ସତରଞ୍ଜି ଉପରେ, ଅଧେ ଭୂଇଁ ଉପରେ। ବେଳେ ସେ ଅନାଉଥାଏ ବେନୁଆର ମୁହଁକୁ , ବେଳେ ଚାହୁଁ ଥାଏ କାନ୍ଥ ବାଡ଼, ଉପର ଓ ତଳ। ଖୁସି ଗପ ମଝିରେ ମଦନ ସିଂହର ନିରବତା ଭାଙ୍ଗିଗଲା। “ବାବା ବେଣୁଧର, କିଛି ଭାବିବୁ ନାହିଁ। ତୋ ଧନ ତୁ ଖରଚ କରୁଚୁ, ତୁ ହାଡ଼ିକି ଦେଲୁ, କି ପାଣକୁ ଦେଳୁ , କି ପାଣିରେ ଫୋପାଡ଼ି ଦେଲୁ  ମୋର ସେଥିରେ କି ଯାଏ? ହେଲେ ମୋ ସାନ ବୁଦ୍ଧିକୁ ଯାହା ଆସିଲା ମୁଁ କହୁଛି, ବାପା, ଯିଏ ଯାହା କହୁ ପଛେ, ମୁଁ ତ ଜାଣିଛି, ତୁ କେତେ କଷ୍ଟରେ କେତେ ବରଷ ଝାଳ ବୁହାଇ ଲ ଜମି ଦେଢ଼ମାଣ କରୁଥିଲୁ । ୟେ ବୁଦ୍ଧି କିଆଁ କଲୁ?”

          ବେନୁଆ ମଦନ ସିଂହ କଥାରେ ଏଡ଼େ ବଡ଼ ପାଟିରେ ହସିଲା ଯେ ଚୌଧୁରୀଙ୍କ ଚଉପାଢ଼ୀରେ ବସିଥିବା ଲୋକ କାନ ଡ଼େରିଲେ। ବେନୁଆର ଏ ବେପରୁଆ ହସରେ ମଦନ ସିଂହ ଟିକିଏ ଅପ୍ରତିଭ ହୋଇଗଲା।

          “- ସେ କଥା ଗୁଡ଼ିକ ଏ ମଉଜବେଳେ ମନକୁ ଆଣନ୍ତି, ମଉସା! କୋଉ ଏବେ ଚୌଧୁରୀ ହୋଇଥାନ୍ତି, ହେବି ନାହିଁ। ଦେଖିଲ ମଉସା, ଚକାମୁଣ୍ଡଟା ଚଉଧୁରୀଙ୍କ ନାଖେ ହୋଇଛି ନା!”

          ମଦନ ସିଂହ ଲକ୍ଷ୍ୟ କରିବାକୁ ଲାଗିଲା ନାଲି ମହମ ବତୀର ଆଲୋକ ଶିଖା ତଳେ କିପରି ମହମ ତରଳୁଛି, କିପରି ତରଳ ମହମ ଲୁହ ପରି ଝରି ପଡ଼ୁଛି ଓ କାଠପଟା ଉପରେ ଜମାଟ ବାନ୍ଧୁଚି, ଟୋପେ, ଟୋପେ, ଟୋପେ,…

           ବାହାର ସନ୍ଥପୁରକୁ ଘେରି ରତିର କାଳିମା ନିବିଡ଼ତର ହେଉଥିଲା।




+ -

© Jataayu Charitable Trust
Site designed,developed & maintained by Tekons