ଚୌଧୁରୀଙ୍କର ପୁରୁଣା ଘର, ସମ୍ପତ୍ତି ଅକଳନ, ପ୍ରତିପତ୍ତି ରାଜକାଟର, କୋଠିଆ ବେଠିଆ ହୋଇ କେଜାଣି କେତେ। ତାଙ୍କ ଘର ଚଳବିଚଳ ହେଉଛି ବୋଲି ସେ ବେନୁଆ କେବେ ଉପରମୁହାଁ ହୋଇ କାହାକୁ କଅଣ କହି ଦେଇଛି ଏକଥା କାହାରି ତୁଣ୍ଡରୁ କେବେ ଶୁଣିବ ନାହିଁ। ସେ ଯେତିକିର ଲୋକ ସେତିକିରେ ରହେ। ଚୌଧୁରୀଙ୍କ ଠାରୁ ଚାରି ପାଞ୍ଚ ମାଣ ଭାଗରେ ଧରିଚିତ, ତାଙ୍କ ମାପଉତୁଣୀ ହିସାବରେ ବରଷକୁ ଭରଣେ ଦେଢ଼ ଭରଣ ପଏ, ଏଣୁ ତେଣୁ ହୋଇ ତା’ର ବର୍ଷକ ପାଇଯାଏ।
ରାତି ଘଡିଏ ହବ, ଚୌଧୁରୀ ତାଙ୍କ ଚଉପାଢ଼ୀରେ ବସି ଖୁସି ଗପ କରୁଛନ୍ତି, କହୁଛନ୍ତି କିପରି ମଦନ ପୃଷ୍ଟି ମକଦ୍ଦମାରେ ସେ ମିଛ ସାକ୍ଷୀ ଦେଲାବେଳେ ଜେରାରେ ସତ କଥାଟା ଭୁଲ୍ରେ ତାଙ୍କ ତୁଣ୍ଡରୁ ବାହାରି ଗଲା, କିନ୍ତୁ ପରେ ସେ କଥାଟାକୁ କିପରି ସୁଧାରି ନେଲେ। ସେତିବେଳେ ବେନୁଆ ସାଆନ୍ତଙ୍କ ହାତକୁ ଅମାର ଚାବିଟା ବଢ଼େଇ ଦେଇଗଲା। ଜ୍ୟେଷ୍ଠ ତିନି ଦିନ କଥା ଏ ।
ରାତି ପାହିଲେ ହେବ ଜ୍ୟେଷ୍ଠ ଚାରିଦିନ। ନଡ଼ିଆ ବାହୁଙ୍ଗା ସେ ପାଖରୁ ପାହାନ୍ତିଆ ତାରା ଉଙ୍କି ମାରି ଦେଖିଲା, ଚୌଧୁରୀଙ୍କ ପିଣ୍ଡାରେ ବେନୁଆ ନାହିଁ। ଗୋବର ପାଣି ପକେଇବାକୁ ମାଇପେ ଦାଣ୍ଡ ଦୁଆରକୁ ବାହାରିଲା ବେଳକୁ ଗାଁ ଦାଣ୍ଡଟା କିମିତି ନିଛାଟିଆ ନିଛାଟିଆ ଲାଗିଲା। ଗୋବିନ୍ଦ ରଥ ଶେଯରେ ଶୋଇ କୁମ୍ଭାଟୁଆ. କୁକୁଡ଼ା ଓ କାଉର ରାବ ଶୁଣିଲେ। କିନ୍ତୁ ବେନୁଆର ରୋଜାନା ଡ଼ାକ କାହିଁକି ତ ଶୁଣାଗଲା ନାହିଁ। କଥା କ’ଣ?
ଗାଁ ଦାଣ୍ଡରେ ଖରା ପଇଲା, ଜଗୁ ମଳିକ ହଳ ଯୋଚି ବିଲକୁ ବାହିଲା, କିନ୍ତୁ ବେନୁଆ ତାର ପାରିଶୁଆ ଛାଡ଼ି ନାହିଁ।
କଥା କ’ଣ?
ଗାଁରେ ଚହଳ ପଡିଗଲା। ସପନି ସୋଇଁ ଆସିଲା, ଗୋପାଳିଆ ଆସିଲା, ମଧୁ ନନ୍ଦ ଆସିଲା, ଦଇନ ପଟ୍ଟନାୟକ ଗଡ଼ିଲେ, ଗୋଟିଏ ପରେ ଗୋଟିଏ ବେନୁଆ ଘରକୁ ବୁଝିବାକୁ କଥା କ’ଣ। ଆସି ଦେଖନ୍ତି କ’ଣ!
ବେନୁଆ ଘରେ ଏ ପଲଙ୍କ ଆସିଲା କାହୁଁ ! ପଲଙ୍କ ଉପରେ ବିଏଁ ବହଳ ଗଦି। ଗଦି ଉପରେ ଶେଯ, ଶେଯ ଉପରେ ମାଣ୍ଡି। ଆସି ଦେଖନ୍ତି ବେନୁଆ ଦେହରେ ନଇଖଣିଆ ଲାଗିପଡ଼ି ତେଲ ମାଲିସ୍ କରୁଛି। ଆସି ଦେଖନ୍ତି ବେନୁଆ ଆଗରେ ଘୋରା ଚନ୍ଦନ ଗିନା, ବେନୁଆ କପାଳରେ ଚନ୍ଦନ ଗାର କାଟୁଚି। ଆସି ଦେଖନ୍ତି ବେନୁଆ ଘର ବାହାରେ ଅତରରେ ମହମହ ବାସୁଚି। ରାତିଟାକରେ ବେନୁଆ କ’ଣ ଚୌଧୁରୀ ହୋଇଗଲା କି!
ବେନୁଆ ଆଜି ଫିନ୍ଫିନ ସରୁ ଧୋତି ପିନ୍ଧିଛି ପାଦକୁ ଲମ୍ବିଯାଇଛି। ମଡ଼େଇଛି ସିଲିକି ପଞ୍ଜାବୀ, ତା’ର ଉପରେ ଫତେଇ। ଫତେଇ ଉପରେ କୋଟ । କାନ୍ଧରେ ପଡ଼ିଛି ସମ୍ବଳପୁରୀ ପାଚିଲା ଗାମୁଛା। ଗୋଡ଼ରେ ଚୂଳ ଖଡ଼ମ।
କୃଷ୍ଣ ବିଶୋଇ ଏ ହାଲ୍ ଦେଖି ସମ୍ଭାଳି ରହି ପାରିଲେ ନାହିଁ। “ କିରେ ବେନୁଆ କଥା କ’ଣ?” “ବେନୁଆ ବେନୁଆ, ବେନୁଆ କ’ଣ ତୋ ଡିହ ଉପରେ ଘର କରିଚି। ହୁଃ, ମଣିଷ ଦିଶୁନାହାନ୍ତି ୟାକୁ। କହ ବେନୁଆ ବାବୁ, କହ ବାବୁ ବେଣୁଧର ସିଂହ।” ବେନୁଆ ଯେତେ ତୋଡ଼ରେ କହିଲା, ଚୌଧୁରୀ ବି ଏତେ ତୋଡ଼ରେ କହି ନାହାନ୍ତି କେବେ।
ବେଣୁଧର ବାବୁଙ୍କର ପରିବାର ଚାରି ଛ ପାଖେ ପାଖେ ଲାଗି ରହିଛନ୍ତି, ସାଆନ୍ତଙ୍କ ହୁକୁମ ତୁଲାଇବାକୁ। ନ ହସିବାକୁ ବାବୁଙ୍କର ବାରମ୍ବାର ତାଗିଦ୍ ସତ୍ତ୍ବେ ସେମାନେ ତାଙ୍କ ଭିତରେ ଆଖି ଠରାଠରି ହେଉଛନ୍ତି, ମୁରୁକି ହସା ଦେଉଛନ୍ତି। ବେଣୁଧର ବାବୁଙ୍କର ହାକିମିର ଇୟତ୍ତା ନାହିଁ। ତୁଚ୍ଛାକୁ ହେଲେ ଚଳି ଯାଉଥାନ୍ତି, ବେଜିତ୍ କରି ଦି ପଦ ଶୁଣେଇ ଦେଇଥାନ୍ତି।
ଦିହିପହରରେ ସରିକି ପୁରୋହିତ ଆସି ପହଞ୍ଚିଲେ ଓ ଅନ୍ୟାନ୍ୟ ପ୍ରାୟ ଷାଠିଏ ସତୁରି ସିରିକି ବ୍ରାହ୍କଣ। ଚୌଧୁରୀଙ୍କ ଘରେ ଭୋଜନଟିଏ ହେଲେ ଆମନ୍ତ୍ରିତ ବ୍ରହ୍ମଣ ମାନଙ୍କୁ ଯେତେ ଅଭ୍ୟର୍ଥନା ହୁଏ, ଆଜି ବେଣୁଧର ବାବୁଙ୍କ ଦୁଆରେ ତା ଠାରୁ ବଳିଗଲା। ବାବୁଙ୍କ ବୋଉଙ୍କ ଶ୍ରାଦ୍ଧ ଦିନରେ ଯେପରି ଆଜି ଆୟୋଜନ ହୋଇଛି, ଚୌଧୁରୀଙ୍କ ଘର ବାଦ ଦେଲେ, ଗାଁରେ ଆଉ କାହାର ଶୁଦ୍ଧି ଘରକୁ ବି ଏପରି ସରଞ୍ଜାମ ହୋଇ ନଥିବ। ପୁରୋହିତେ ଶକତ ଗଣ୍ଠିରାଏ ସଞ୍ଚା ବାନ୍ଧିଲେ, ହୋମ ହେଲା ଯେ ଘୃତରେ ଅଗ୍ନି ଦେବତା ବିଲକୁଲ ସନ୍ତୁଷ୍ଟ ହେଲେ, ଭୋଜନରେଯେତିକି ତୃପ୍ତି ହୋଇଥିଲେ, ଦକ୍ଷିଣା ପାଇ ତା’ର ଦୁଇଗୁଣ ଅନନ୍ଦିତ ହେଲେ।
କଥାଟା ଚାରି ଆଡ଼େ ରାଷ୍ଟ୍ର ହୋଇ ଗଲା। କୃଷ୍ଣ ବିଶୋଇ ପିଣ୍ଡାରେ, ନାଥ ମଲିକ ଖଳାରେ, ଦନେଇ ଗୁଡ଼ିଆ ଦୋକାନରେ ଠାଆ ଠାଆ ହୋଇ ଲୋକ ଜମିବାର ଦେଖାଗଲା। କୂଅମୂଳେ, ଢ଼ିଙ୍କିଶାଳେ, ଗାଧୁଆ ତୁଠରେ, ମାଇପିଙ୍କ ଭୁଟ୍ଭାଟ୍ ଶୁଣାଗଲା। ଚରି ଆଡ଼େ ଫୁସୁରୁ ଫାସର, ଟୁପ୍ଠାପ୍ , ବେନୁଆର ସଚ୍ଚା ପଣିଆଠୁ ଆରମ୍ଭ କରି ତାର ଗୋସେଇଙ୍କ କିଆରିରୁ ସୁନା ଗରା ପାଇବା ପର୍ଯ୍ୟନ୍ତ ନାନା କଥା।