ମେଜିକ୍




ପଞ୍ଚମ-ବାବୁଘରେ ମୁଁ ଚାକର । ଦରମା ଯାଏ ଜୋରିମାନାରେ; ମାଡ଼ ଓ ଗାଳି ଖାଲି ମୋର ପାଉଣା । ମୋର ଜୀବନରେ ଆନନ୍ଦ ଖାଲି ଯେତେବେଳେ ବାବୁ ହସନ୍ତି। ବାବୁଙ୍କର କୁକୁରଟା ବେଳେ ବେଳେ ମୋ ଆଡ଼କୁ ଅନାଏ ଦୟା ଓ ଘୃଣାରେ। ପୋତା ହୋଇଛି ସେଇଠି- ତା’ ଉପରେ କେଡ଼େ ସୁନ୍ଦର ଗୋଟାଏ ସମାଧି। ତାକୁ ବାବୁ କେବେ ଥରେ ରାଗ ହେଲେ ପରେ କରୁଥିଲେ କେଡ଼େ ଆଦର। କିନ୍ତୁ ମୋ ମନ ବୁଝିବାକୁ ତ ଦୁନିଆରେ କେହି କେବେ ଚେଷ୍ଟା କରିନି। ଭଗବାନ ବଡ଼ ଲୋକଘରେ ମୋତେ କେବେ ଚାକର କର ନାହିଁ । ମତେ କୁକୁର କରି ଜନ୍ମ ଦିଅ, ମତେ କୁକୁର କରି ଜନ୍ମ ଦିଅ।

(ଭୟ ସହିତ ତା’ର ପ୍ରସ୍ଥାନ।ତା’ ପଛରେ ଗୋଟିଏ ଶିଶୁକୁ ଧରି ରୁଗ୍‌ଣା ଜନନୀ ; ବସ୍ତ୍ରର ଅଳ୍ପତା ସ୍ପଷ୍ଟ। ଶୀତରେ ଉଭୟ଼ ଥରି ଯାଉଛନ୍ତି;ପିଲାଟା ମୁର୍ହୁମୁର୍ହୁ କାନ୍ଦି ଉଠୁଛି।)

ଷଷ୍ଠ- ତୁନିହ, ତୁନିହ, ଧନଟା ମୋର ; କ’ଣ କରିବି? ଛାତିରେ ମୋର କ୍ଷୀର ନହିଁ- କ୍ଷୀର ନାହିଁ ଖାଲି ଶୁଖିଲା। ଚମଡ଼ା- କ’ଣ ଦେବି ଆଉ? ଭଗବାନ ମଣିଷ କୁ ପେଟଟା ଦେଇ ନଥାନ୍ତେ ଭଲା! ତୁନିହ ଶୋଇ ପଡ଼, ଶୋଇପଡ଼, ବୁଝିଛି, ତୋତେ ଜନ୍ମ ଦେଇ ବଡ଼ ଭୁଲ କରିଛି। କିନ୍ତୁ କରିବି କଣ? ମା ଡ଼ାକ ଶୁଣିବା ପାଇଁ ପ୍ରାଣ ମୋର ବ୍ୟାକୁଳ ହେଲା, ପିଲା ମୁହଁ ଦେଖିଲି, କିନ୍ତୁ ମା ଡ଼ାକ ଶୁଣିପାରିଲି ନାହିଁ ଧନ , ତତେ ଆଉ ମତେ ଏକା ସାଥୀରେ ଶୋଇବାକୁ ହେଲା। ହଉ-

( ତା’ପରେ ଯେ ଉଠିଲା  ତା’ର ସବୁଆଡ଼େ ଲାଗିରହିଛି  ହତାଶାର ଭାବବିହ୍ବଳତା)

ସପ୍ତମ-ଧର୍ମ! ସମାଜ! ଭଗବାନ!ମିଥ୍ୟା –ଫସାଦି-ଧପାବାଜି! ସବୁ ଖାଲି ମଣିଷକୁ ଚୂନା କରିବାର ଗୋଟିଏ ଲେଖା ମଜବୁତ କଳା । ପେଟ ବିକଳରେ ମୁଁ ମୁସଲମାନ ଘରେ କଲି ନୌକରୀ।ସମାଜ କହିଲା, ‘ ଦେବତାର ଅଭିଶାପ ମୋର ଶିରରେ ; ମୁଁ ହରାଇଛି ଜାତି; ସମାଜରେ ନାହିଁ । ଲୋଡ଼ା ପ୍ରାୟଶ୍ଚିତ୍ତ ; ସମାଜର ଭୟରେ  ମୁଁ କଲି ଦେଣା , ହେଲି ସର୍ବହରା । ଆଜି ମୋର ଆତ୍ମା କାମନା କରେ ଲୋପ ହେଉ ଏ ଜାତି, ଏ ଧର୍ମ, ଏ ସମାଜ, ଏ ଭଗବାନ; ବଞ୍ଚିରହୁ ମଣିଷ।

( ସେ ଗଲା । ପରବର୍ତ୍ତୀ ଲୋକର ପରିଧାନ-ଧୋତି, ପଞ୍ଜାବୀ ଓ ଟୋପି , ହାତ ଦୁଇଟା ସବୁବେଳେ ପଛକୁ, ଏଇଟା ବିଶେଷତ୍ବ)

ଅଷ୍ଟମ- ହାଃ , ହାଃ, ହାଃ.... କି ଅସମ୍ଭବ ଏ ଲୋକଗୁଡିକ । ସତ୍ୟକୁ ବେକ ମୋଡ଼ି କେତେଦିନ ରଖିପାରିବି? ମୁଁ ଦେଖାଇଲେ ଶାସନ  ତ୍ରୁଟି, ସମାଜର କୁସଂସ୍କାର, ଧର୍ମ ଭ୍ରାନ୍ତି; ସେମାନେ ମୋତେ ଜେଲରେ ଅନ୍ଧାର କୋଠରୀ ଭିତରେ ଲୁଚାଇ ରଖିଲେ; ମୋର ମୁହଁରେ ବାନ୍ଧିଲେ ତୁଣ୍ଡି, ହାତରେ ଦେଲେ ବେଡ଼ି। ଯେ ସତ ପାଇଁ ଲଢ଼ିଲା, ତା’ପାଇଁ ରାସ୍ତାରେ ରାସ୍ତାରେ ଛିଡ଼ା ହେଲା ଫାଶିଖୁଣ୍ଟି – ତା’ରି ଚିତାରେ ଲାଗିଲା ବନ୍ଧୁକର ଚୋଟ । ଆଜି ବର୍ଷ ଦୁଇଟା ପରେ ଦୁନିଆ ବୁଝିଛି ସେହି ସତ କଥା ଟା , ବୁଝିନି ନିଜର ଭୁଲ୍‌... ହିଃ , ହିଃ, ହିଃ .... ଚାଲିଗଲା।

ନବମ- (ସ୍ତ୍ରୀ ଲୋକ , କେଶ ମୁକୁଳା ଓ ବ୍ୟସ୍ତ, ବେକର ଚାରିପାଖ ଦେଇ ଝୁଲୁଛି ଗୋଟିଏ ରସି) ପତିତା...! ପାପ...! ମା’...ମା’ ହେବା ପାପ !!! ଉପାୟ? ଉପାୟ? ପଥ?...ପଥ? କହ ସମାଜ ପଥ-ପଥ ? ବେଶ୍ୟାଳୟ ବା ଆତ୍ମହତ୍ୟା। (ଚାଲିଗଲା)

ଦଶମ- (ଆକୃତି ମଣିଷର ବି ନ ହୋଇପାରେ –କୁତ୍ସିତ  ଓ ଭୟାନକ । ସେ ଚାଲିଛି ଘୁଷୁରି ଘୁଷୁରି। ସ୍ବର ବି ପୂରା  ମଣିଷ ସ୍ବର ନୁହେଁ- ରୁଦ୍ଧ, କ୍ରୁଧ, କର୍କଶ ଓ ଚଞ୍ଚଳ.... ପ୍ରତିହିଂସା.... ପ୍ରତିହିଂସା ମୁହିଁ ଆଣେ ଦୁର୍ଭିକ୍ଷ, ମହାମାରି,ବିଦ୍ରୋହ, ବିପ୍ଲବ, ଯୁଦ୍ଧ, ଚୋରି, ଡ଼କା଼ୟତି, ନରହତ୍ୟା,ଧ୍ବଂସ... ମୋ ନାଁ ଦାରିଦ୍ର୍ୟ। (ଚାଲିଗଲା)

( ସୁ କରି ଗୋଟା, ଶବ୍ଦ ହେଲା- ଘରର ରଙ୍ଗ ବଦଳି ଗଲା ଧଳା ଆଲୁଅକୁ । ମେଜିକ୍‌ସିଆନ୍‌ ନାହିଁ। ଭଦ୍ରଲୋକ ବହିର ଶେଷ ପୃଷ୍ଠାରୁ ଆଖି ଉଠେଇ ଅନେଇ ଅନେଇ ରହୁଛନ୍ତି ଆଗକୁ- ସେ ଆଖିରେ ଅଛି ସନ୍ଦେହର ଛାଇ । ସତ୍ୟର ଉଜ୍ଜଳତା ଓ ବିପ୍ଲବର ଆଭାସ । ବହିର ପଛ ମଲାଟଟା ଧପ୍‌ କରି ବୁଜି ହୋଇଯିବା ସହିତ ପରଦା ପଡ଼ିଛି।)




+ -

© Jataayu Charitable Trust
Site designed,developed & maintained by Tekons