ମେଜିକ୍




ଗୋଟିଏ କୋଠରି ଛୋଟ ନୁହେଁ ବଡ଼ ବି ନୁହେଁ। କୋଠରିଟି ଚିକ୍‌କଣ, ଅତି ସୁନ୍ଦର, ସୁନା ରଙ୍ଗର ଆଲୋକରେ ଉଦ୍‌ଭାସିତ।

ଡ଼ାହାଣ ପାଖରେ ଲାଲ ଭେଲ୍‌ଭେଟ୍‌ କାଉଚ ଉପରେ ପରିଚ୍ଛନ୍ନ ପରିଚ୍ଛଦରେ ଜଣେ ଭଦ୍ରଲୋକ ବସିଛନ୍ତି। ହାତରେ ତାଙ୍କର ଖଣ୍ଡେ ମୋଟା ନୂଆ ବହି।ଭଦ୍ରଲଲୋକ ବହିର ପ୍ରଥମ ପୃଷ୍ଠାରୁ ପଢ଼ା ଆରମ୍ଭ କରିଛନ୍ତି।

ତା’ଙ୍କ ପାଖକୁ ଲାଗି ଥୋଡ଼ାଏ ଦୂରରେ ଜଣେ ରୁଗ୍‌ଣ ଦୁର୍ବଳ ଲୋକ ଅନୁନୟ କରି କ’ଣ ମାଗୁଛି।

ଭଦ୍ରଲୋକ- (ପଢ଼ାରେ ବ୍ୟସ୍ତ, ବାମହସ୍ତ ସଞ୍ଚାର ଦ୍ବାରା ଅପର ଲୋକଟିକୁ ଚାଲିଯିବାକୁ ସଂକେତ। ସେ ସଲାମ କରି ଚାଲିଗଲା। ଯିବା ପରେ ଅନ୍ୟ ଜଣେ ଆସି ଠିଆ କିଛିକ୍ଷଣ ପରେ ସେ ବହିରୁ ଆଖି ଉଠାଇ ସେ ଆଗନ୍ତୁକଙ୍କୁ କିଛି କ୍ଷଣ ଅନେଇ ରହିଲେ। ତା’ ପରେ-)

ଆଗନ୍ତୁକ-ମୋର ନାମ ଡୋକ୍‌ସିସ୍‌ ଗର୍କୀ; ମୁଁ ମେଜିକ୍‌ ଦେଖାଏ। (ଭଦ୍ରଲୋକ ମୁହଁରେ ଆଶ୍ଚର୍ଯ୍ୟର ଚିହ୍ନ; କିନ୍ତୁ କ’ଣ କରିବେ ଠିକ୍‌ ଜାଣନ୍ତି ନାହିଁ) ଆପଣଙ୍କ ଅନୁମତି ହେଲେ-

ଭଦ୍ରଲୋକ-ନିଶ୍ଚୟ

ଆଗନ୍ତୁକ-(କାଉଚ ପାଖକୁ ଆସି) ଭୟ କରିବେ ନାହିଁ। ଆପଣ ଦେଖିବେ ଶ୍ମଶାନର ନଗ୍ନ ଦୃଶ୍ୟ, ସମାଜରୁ ଉଠିବ ଦଳିତ ମାନଙ୍କର ପ୍ରେତ, ଶୁଣିବେ ତା’ର କରୁଣ ବିକଟ କାହାଣୀ।

( ପାଟିରେ ମାରିଲା ସେ ଯାଦୁକର ହୁଇସିଲ; ହିପ୍‌ନୋଟାଇଜର୍‌ର ହାତ ସେ ଚାରିଆଡ଼ୁ ବୁଲାଇ ଆଣିଲା; ଘରର ରଙ୍ଗ ବଦଳି ଯାଇଛି; ସବୁଆଡ଼େ ଦିଶୁଛି କୁହୁଡ଼ିଆ; ତାହାରି ଭିତରେ ଝାପ୍‌ସା ଆକୃତି ଭୂଇଁରୁ ଗୋଟାଏ ପରେ ଗୋଟାଏ ଉଠୁଛନ୍ତି)

ପ୍ରଥମ- ( କଙ୍କାଳମୟ କୃଷ୍ଣମୂର୍ତ୍ତି; ଧୀରେ ଭୂଇଁ ତଳୁ ଉଠି) ଭୋକ- ମୁଁ ମଲି ଭୋକରେ , ଖାଇବାକୁ ନ ପାଇ . ଚାଉଳ କଳରେ କାମ କରି ମାସକୁ ସାତ ଟଙ୍କା ଦରମାରେ ତେର ବରଷ କାଳ,  ମାଲିକ ହେଲା କୋଟିପତି ଆଉ ମୁଁ? ମୋ ଆଖି ଆଗରେ ଶୁଖି ଶୁଖି ମଲେ ମୋର ଦୁଇଟି ରୋଗା ଛୁଆ;ତାଙ୍କ ପଛେ ପଛେ ଚାଲିଲା ମୋ ଭାରିଜା, ମୁଁ ପଡିଲି  ଭାଙ୍ଗି।ମୋ ଭାଇ ବି ଚଉଦ ବରଷରେ ଧଇଲା ହଳ, ଚଷିଲା, ବୁଣିଲା, ରୋଇଲା, କାଟିଲା-ଜମିଦାର ନେଲା ଅଧେ। ତା’ ଆର ବର୍ଷ ଫେରେ ଚଷିଲା ବଇଶାଖ ଖରାରେ, ରୋଇଲା ଶ୍ରାବଣର ବରଷାରେ ତିନ୍ତି। ଧଇଲା ଜ୍ବର, ସେହି ଜ୍ବରରେ କାଟିଲା ଧାନ। ଦାଆ ହତରେ ଧରି ପାଚିଲା କ୍ଷେତରେ ପଡ଼ିଲା ଢ଼ଳି। ଓଃ...ଗୋଟିଏ ବଂଶ ଲୋପ ....ହା।

   ( ମୂର୍ତ୍ତିଟା ଧୀରେ ଧୀରେ ଚାଲିଗଲା। ଉଠିଲା ଆଉ ଏକ ମୂର୍ତ୍ତି; ବୁଢ଼ା ଅଣ୍ଟାଠାରୁ ବଙ୍କା, ହାତରେ ଖଣ୍ଡେ ବଙ୍କୁଲି ବାଉଁଶ ବାଡ଼ି)

 ଦ୍ବିତୀୟ-ଅନ୍ୟାୟ!ଅବିଚାର! ଜମିଟା ମୋର। ଜମିଟା ମୋର।ସେଇ ଆଠଗୁଣ୍ଠ ଜମି। ସେ ଥିଲା ମୋର ମା’-ତାକୁ ମୁଁ ଛାଡି ପାରେ ନା, ମୋର ବଗିଚା-ଓଃ....ମହାଜନ। କଣ କଲୁ? ମିଛ! ଦେ’ଣା? ସୁଦୁ ମିଛ! ହାକିମ ? ମିଛ। କଚେରି? ଠକାମି!! ଖାଲି ଅନ୍ୟାୟ! ଅବିଚାର!!

(ଚାଲିଗଲା- ଏଥର ଉଠିଲା ଗୋଟିଏ ପିଲା ମୂର୍ତ୍ତି)

ତୃତୀୟ- ମୁଁ ବଞ୍ଚି ଥାଆନ୍ତି ଆହୁରି ଅନେକ ଦିନ। ଖାଲି ଅବହେଳାରେ ମୁଁ ମରିଗଲି। ଟିକିଏ କ୍ଷୀର ପାଇଲି ନାହିଁ ଟିକିଏ ଔଷଧ ନାହିଁ, ଏତେ ଅଛନ୍ତି ଡ଼ାକ୍ତର, ଏତେ ଅଛି ଔଷଧ- କିନ୍ତୁ ମୁଁ ମଲି ଔଷଧ ବିନା ଅବହେଳାରେ।

( ସେ ଚାଲିଯିବା ପରେ ତଳୁ ଖପ୍‌ କରି ଡ଼େଇଁ ପଡ଼ିଲା ଏକ ସୁସ୍ଥ ସବଳ ଲୋକ। ପ୍ରତି ମୁହର୍ତ୍ତରେ ତା’ର ସମସ୍ତ ମାଂସପେଶୀ ନାଚି ଯାଉଛି ବିଦ୍ରୋହର ତାଣ୍ଡବରେ)

ଚତୁର୍ଥ- ଦେଖ୍‌ ଦୁନିଆ-ଅତ୍ୟାଚାର  ନଗ୍ନରୂପ। ପୁଞ୍ଜିବାଦୀ କରିଛି ନରହତ୍ୟା। ମୋ ରକ୍ତର ଛିଟା ଲାଗିଛି ତା’ କପାଳରେ। ରଜାର ଖଟିବି ବେଠି ଅଖିଆ ଅପିଆ।ତା’ପରେ ମୋ ସ୍ତ୍ରୀ? ଏଠି ଦେଖିଲେ ତ ସମସ୍ତେ ରାବଣର ଅବତାର। ମୁଁ କଲି ପ୍ରତିବାଦ- ମୁଣ୍ଡରେ ବର୍ଷିଲା ଲାଠି ପ୍ରହାର। ଗରିବ ଜନ୍ମ କ’ଣ ଖାଲି ଅତ୍ୟାଚାର ସହିବାକୁ?

( ତା’ର ଯିବା ପରେ ଉଠିଲା ଏକ ଲୋକ। ବୁଢ଼ା ନୁହେଁ କିନ୍ତୁ ସିଧା ହୋଇ ଛିଡା ହୋଇପାରେ ନାହିଁ ବା ମୁଣ୍ଡ ଟେକି ଚାହିଁପାରେ ନାହିଁ । ତା’ର ହାତ ଯୋଡ଼ି ଠିଆ ହେବାର ଓ ନମ୍ର ହୋଇ କଥା କହିବାର ଚେଷ୍ଟାରେ ହସିବାର ଉପାଦାନ ବହୁତ ମିଳେ)




+ -

© Jataayu Charitable Trust
Site designed,developed & maintained by Tekons