ପରିବେଶ ନାଟକୀୟ




ଏ ଷଣ୍ଢ ଲଢ଼େଇରେ ଆମର ସମାବେଶର ବାତାବରଣ ବିଲକୁଲ ଗୋଳମାଳିଆ ଧରିଗଲା।ସମସ୍ତେ ଚୁପ୍‌ଚାପ୍‌। ପରବର୍ତ୍ତୀ ଷ୍ଟେସନ୍‌ ପର୍ଯ୍ୟନ୍ତ ଉଭୟେ ଯେଝା ସ୍ଥାନରେ ନୀରବରେ ବସି ରହିଲେ ହେଁ ସେମାନେ ଯେ ପରସ୍ପର ପ୍ରତି ବିଦ୍ବେଷରେ ଜଳି ଯାଉଛନ୍ତି ଓ ମଉକା ପାଇଲେ ହାତାହାତି ହୋଇଯିବେ ଏ କଥା ଆମେ ଅନୁଭବ କରି ପାରୁଥିଲୁଁ। ପରବର୍ତ୍ତୀ ଷ୍ଟେସନ୍‌ରେ ସୂର୍ଯ୍ୟ ସିଂହ ଆସନ ଛାଡ଼ି ଅନ୍ୟ ଏକ ଡବାକୁ ଚାଲିଲେ, ତରୁଣୀ ତାଙ୍କର ଅନୁସରଣ କଲେ ।

   ଭଦ୍ରଲୋକ ଜଣକ ଯେ ଏ ପର୍ଯ୍ୟନ୍ତ ଆମ ସମାବେଶଠାରୁ ନିଜକୁ ଅସଂଲଗ୍ନ ରଖି ଆସିଥିଲେ, ଏବେ ସେ ଆମ ସହିତ ଆଲୋଚନା କରିବାକୁ ବ୍ୟାକୁଳ ହୋଇ ଉଠିଲେ। ଆମ ଭିତରୁ କେହି ଜଣେ ଯାହା ସବୁ ଘଟିଗଲା ତାହା ଦୁର୍ଭାଗ୍ୟଜନକ ବୋଲି ମନ୍ତବ୍ୟ କଲେ। ଆଉ ଜଣେ ସୂର୍ଯ୍ୟ ସିଂହଙ୍କୁ ଜଣେ ବିପ୍ଳବୀ ବୋଲି ଯେତେବେଳେ ମତବ୍ୟକ୍ତ କଲେ, ଭଦ୍ରଲୋକଙ୍କ ମୁହଁରେ ଫୁଟି ଉଠିଲା ବିଦ୍ରୁପାତ୍ମକ ହସ। “ଏକାଧାରରେ ଜଣେ ଗୁଇନ୍ଦା ଓ ବିପ୍ଳବୀ” ଠୋଷ ଦେଇ ଭଦ୍ରଲୋକ କହି ପକାଇଲେ।ଯାହା ଘଟି ଯାଇଥିଲା, ତହିଁରେ ଭଦ୍ରଲୋକ ଅସୂୟା ପ୍ରଣୋଦିତ ହୋଇ ଏ ପ୍ରକାର ଚରିତ୍ର ସଂହାର କରୁଛନ୍ତି ବୋଲି ଆମ ଭିତରୁ କେହି କେହି ସନ୍ଦେହ ପ୍ରକାଶ କରି ଭଦ୍ର ଅଥଚ ଦୃଢ଼ ଭାବରେ ପ୍ରତିବାଦ କଲେ।ପ୍ରତିବାଦ ଯେ ତାଙ୍କର ଆତ୍ମସମ୍ମାନ ଉପରେ ନିଶ୍ଚିତ ଭାବେ ଆଞ୍ଚ ଆଣିଛି ବୋଲି ଭଦ୍ରଲୋକ ଟିକିଏ ଉତ୍ତେଜିତ ହୋଇ ଚାଲିଲେ।

   “ ଏ ଲୋକଟି ଆପଣଙ୍କ ଦୃଷ୍ଟିରେ ବିପ୍ଳବୀ ସୂର୍ଯ୍ୟ ସିଂହ । ମୁଁ କିନ୍ତୁ ଗତ ପଚିଶି ବର୍ଷ ହେଲା ତାକୁ ଭଲ ଭାବରେ ଜାଣେ-ଏ ସେଇ ସୁରିଆ ସୋଇଁ ଯିଏ ମୋ ପାଖରେ ନିତି ନିତି ପାର୍ଟି ଅଫିସ ର ଖବର ଯୋଗାଉଥିଲା ଓ ସେଥିଲାଗି ଆଠଣା ବା ଟଙ୍କାଏ ପାଇଲେ କୁତା ଭଳି କୃତଜ୍ଞତା ପ୍ରକାଶ କରୁଥିଲା। ଆଶ୍ରୟହୀନର ଛଳନା କରି ଟାଉନ୍‌ହଲ୍‌ ବାରଣ୍ଡାରେ ଶୋଇ ରହି ସେ ମୋତେ ଆଣି ଦେଉଥିଲା କେବେ ବିପ୍ଳବୀମାନଙ୍କର କେବେ କୁଖ୍ୟାତ ଅପରାଧୀମାନଙ୍କର ଗୁପ୍ତ ମନ୍ତ୍ରଣାର ଖବର ଓ ସେଥିଲାଗି ଆଉ ଅଧିକ ଆଠଣା ଟଙ୍କାଏ ପାଇଁ ଅଳି କରୁଥିଲା। ଦେଖନ୍ତୁ ତ ସେଇ ଲୋକ ଆଜି ମୋ ସହିତ କିପରି କଥାବାର୍ତ୍ତା କରୁଛି। ତାର ସୁପାରିଶରେ ମୋର ପ୍ରମୋଶନ ହେବା କଥା ସେ ତୁଣ୍ଡରେ ଧରି ପାରିଲା।

     ଏକଦା ଗୋଇନ୍ଦା ବିଭାଗର ଅଫିସର ନିଜର ଆତ୍ମସମ୍ମାନ ଉପରେ ଯେଉଁ ଗୁରୁତର ଆଘାତ ଆସିଲା ତହିଁରେ ନିଶ୍ଚିତ ଭାବେ ବିଚଳିତ ହୋଇପଡ଼ିଥିଲେ। ଆପଣାର କ୍ଷୋଭକୁ ଶାନ୍ତ କରିବା ଲାଗି ସେ ଆମ ଆଗରେ ସୂର୍ଯ୍ୟ ସିଂହଙ୍କ ଜୀବନ ବୃତ୍ତାନ୍ତ ବଖାଣି ବସିଲେ।

  ସୁରିଆର ବାପ ରଘୁ ସୋଇଁ ଥିଲା ସେ ଅଞ୍ଚଳର ଏକ ନାମଜାଦୀ ଟାଉଟର, ସୁରିଆ ପିଲା ହୋଇଥାଏ ,ତା ମା ମରିଯିବାରୁ ପଚାଶ ବର୍ଷ ବୟସରେ ରଘୁ ସୋଇଁ ଶ୍ବଶୁରକୁ କି ଟଙ୍କା ହାତଗୁଞ୍ଜା ଦେଇ ଅଳ୍ପ ବୟସର ଯୁବତୀଟିଏକୁ ପୁଣି ବିଭା ହେଲେ। ବିଭା ହେବାର ବର୍ଷେ ଦିବର୍ଷ ମଧ୍ୟରେ ରଘୁ ସୋଇଁ ମାରା ପଡ଼ିଲା। ସେତେବେଳେ ନୂଆକରି ଗାଁ ଗହଳିରେ ଭାଗଚାଷୀ ଆନ୍ଦୋଳନ ଗଢ଼ି ଉଠିଥାଏ। ରାଜନୈତିକ ନେତାଏ ଯାଇ ଗାଁରେ ସଭା କରନ୍ତି। ସାବତ ମା’ର ଦୌରାତ୍ମ୍ୟରୁ ମୁକୁଳିବା ଲାଗି ସୁରିଆ ରାଜନୈତିକ କର୍ମୀଙ୍କ ସହିତ ବସାଉଠା କରି ଗାଁରୁ ଆସି କଟକରେ ପାର୍ଟିର ମୁଖ୍ୟ ଅଫିସରେ ଜୁଟେ। ସେଠି ଟହଲ ଟୁକୁରା କାମ କରି ଗଣ୍ଡେ ଖାଇବାର ଉଠେଇ ନେଉଥିଲା। ପାର୍ଟିର ଆଦର୍ଶ ସହିତ ଅସଂଶ୍ଳିଷ୍ଟ ଏହି ଭାଡୁଆକୁ ସେ ତାଙ୍କର ବିଶ୍ବସ୍ତକାର ଭାବରେ ନିଯୁକ୍ତ କରି ତାହାରି ଜରିଆରେ ପାର୍ଟିର ସବୁ ଗୁପ୍ତ ବିଚାର ମନ୍ତ୍ରଣା ହସ୍ତଗତ କରୁଥିଲେ। ଇଂରେଜୀରେ ଲେଖାଥିବା ରିପୋର୍ଟ ସର୍‌କୁଲାର ଆଦି ଲୁଚାଇ ଆଣି ସେ ଦେଇଯାଏ  ଓ ତହିଁର ଆବଶ୍ୟକୀୟ ଟିପ୍ପଣୀ ରଖି ତାକୁ ଫେରାଇ ଦିଅନ୍ତି।  ଏହିପରି ମାସିକ ଦଶବାର ଟଙ୍କା ଲାଗି ସେ ତା’ର ଆଶ୍ରୟଦାତାଙ୍କ ବିରୋଧରେ ବରାବର ନିମକହାରାମି କରି ଆସୁଥିଲା।”

     ବିପ୍ଳବୀ ସୂର୍ଯ୍ୟ ସିଂହଙ୍କର ଏ ପ୍ରକାର ବୁନିଆଦି ବିଷୟରେ ଆମେ କେହି ପୂର୍ବରୁ ଅବହିତ ନ ଥିଲୁ। ଭଦ୍ରଲୋକ ଯଦିବା କ୍ରୋଧବଶତଃ ଏ ସବୁ ବିଷେଦ୍‌ଗାର କରି ଥାଇ ପାରୁଥାନ୍ତି,ତାଙ୍କର ଅଭିଜ୍ଞତା ଉପରେ ପର୍ଯ୍ୟବେସିତ ଘଟଣା ମିଥ୍ୟା ବୋଲି ମନେ କରିବାର କୌଣସି କାରଣ ନ ଥିଲା । ନିଜର ଜୀବନ ଚରିତ ବିଷୟରେ ସୂର୍ଯ୍ୟ ସିଂହ ପତ୍ରପତ୍ରିକାରେ ଯେଉଁ ଚିତ୍ର ଆମ ଆଗରେ ଉପସ୍ଥାପିତ କରି ଆସୁଥିଲେ ଆମେ ତାକୁ ହିଁ ସତ୍ୟ ବୋଲି ମାନି ନେଇଥିଲୁ । ଭଦ୍ରଲୋକଙ୍କ ଦେବା ଚିତ୍ର ଅତି ବିଚିତ୍ର ମନେ ହେଲା ଓ ଆମେ ଏ ରହସ୍ୟ ବିଷୟରେ ଅଧିକରୁ ଅଧିକ ଆଗ୍ରହୀ ହୋଇ ଉଠିଲୁଁ।

    ଆମ ଭିତରୁ ଜଣେ ପ୍ରତିବାଦ କରି କହିଲେ  ଏ ଯେତେ ଯାହା କହନ୍ତୁ, ସରସ୍ବତୀ ପୂଜା ଦିନ ଜନ୍ମ ତାଙ୍କର, ସେ ସରସ୍ବତୀଙ୍କର ଗୋଟିଏ ବରପୁତ୍ର । ଚାଟଶାଳୀ ମାଡ଼ିନଥିବା ବ୍ୟକ୍ତି ନିଜର ପ୍ରତିଭା ବଳରେ ସିନା ସାହିତ୍ୟ ମହାରଥୀଙ୍କୁ ବି ହଟାଇ ଦେଉଚି!!

   ପ୍ରତିବାଦଟା ଶୁଣି ଭଦ୍ରଲୋକ କିଛି ସମୟ ନୀରବ ରହିଲେ; ମନେ ହେଲା ସେ ଏହାର ଉଚିତ ଉତ୍ତରଟା କିପରି ଦେବେ ମନେ ମନେ ରୋମନ୍ଥନ କରୁଛନ୍ତି। ସାମାନ୍ୟ ଆକ୍ରମଣାତ୍ମକ ଭଙ୍ଗୀରେ ଭଦ୍ରଲୋକ କହି ଉଠିଲେ- ଆପଣମାନେ ସମସ୍ତେ ଉଚ୍ଚ ଶିକ୍ଷିତ।ଅଥଚ ଆପଣମାନଙ୍କର ଚିନ୍ତାଧାରାକୁ ବିନା ବିବେଚନାରେ ପ୍ରଭାବିତ ହେବାକୁ ଛାଡ଼ି ଦେଉଛନ୍ତି; ଅଦ୍ଭୁତ ତଥ୍ୟ ଉପରେ ଆପଣମାନେ କିପରି ଯେ ଆସ୍ଥାବାନ ହେଉଛନ୍ତି ଭାବି ଆଶ୍ଚର୍ଯ୍ୟ ହେଉଛି। ସରସ୍ବତୀ ପୂଜାଦିନ ପୃଥିବୀରେ ଅନ୍ତତଃ ଦଶ ହଜାର ଜନ୍ମ ନେଇଥିବେ-ତେଣୁ ସେମାନେ ସମସ୍ତେ ପ୍ରତିଭାବାନ୍‌!!

    “ଆପଣଙ୍କର ସୂର୍ଯ୍ୟ ସିଂହ ସରସ୍ବତୀ ପୂଜା ଦିନ ଜନ୍ମ, ତା’ର ପ୍ରମାଣ ? ତା’ର ନିଜ ବୟାନ ଛଡ଼ା ଏହାର ସତ୍ୟାସତ୍ୟ ନେଇ କେହି କେବେ ଅନୁସନ୍ଧାନ କରିଛି କି?ନିଜକୁ ପ୍ରତିଭାବାନ ବୋଲି ପ୍ରତିଷ୍ଠିତ କରିବା ଲାଗି ଏହା ଏକ ଧୂର୍ତ୍ତ କୌଶଳ ହୋଇପାରିଥାଏ। ଏ ବିଷୟରେ କେବେ ଚିନ୍ତା କରିଛନ୍ତି କି?”

 

     ଭଦ୍ର ଲୋକଙ୍କ କଥାର ଗୁରୁତ୍ବ ଉପଲବ୍ଧି କରି ଆମେ ପ୍ରତ୍ୟେକେ ମନେମନେ ଲଜ୍ଜିତ ହେଲୁ ।ସୂର୍ଯ୍ୟ ସିଂହଙ୍କ ପାଣ୍ଡିତ୍ବ ଓ ପ୍ରତିଭା ପ୍ରତିପାଦିତ କରୁଥିବା ‘ମୁର୍ଖପତ୍ରିକା’ଗ୍ରନ୍ଥ ବିଷୟ ଉତ୍‌ଥାପନ କରି ଭଦ୍ରଲୋକ ପୁନରାୟ ପ୍ରଶ୍ନ କଲେ ।




+ -

© Jataayu Charitable Trust
Site designed,developed & maintained by Tekons