ଆମେ ଶାନ୍ତି ଚାହୁଁ


ମିଳାଇ ନାହିଁ ତ ଧୂଆଁ… ଆମ ଦେହୁଁ ଶୁଖିନି ଘାଉଡ଼ା

ଏବେ ବି ତା ରାସ୍ତାଘାଟେ ଜମି ରହେ ହାଡ଼ କୁଢ଼ କୁଢ଼

ମଣିଷର। ବାରୁଦର ତିକ୍ତଗନ୍ଧ ହୋଇନି ହାଲୁକା…।

ବହିଲା ଯେ ରକ୍ତ ଧାରା ସମୁଦାୟ ଭେଦିନି ମୃତ୍ତିକା।

ଫାସିଷ୍ଟର ବିଷ ଶ୍ବାସେ ଝାଉଁଳିଲା ଯେତେ ଜନପଦ,

 ହସିନି ତ ସେଠି ପୁଣି ଜୀବନର ସବୁଜ ସମ୍ପଦ।

ବୋମା ଗାଡ଼ ପୁରିନାହିଁ ଘୁଞ୍ଚିନାହିଁ ଦୁର୍ଦ୍ଦିନର ଛାଇ

ମୁକ୍ତିଲାଗି ଢ଼ାଳିଲୁ ଯେ ଲହୁଲୁହ କହ ସୁସ୍ତି କାହିଁ?

ଯୁଦ୍ଧର ଡ଼ାକରା ପୁଣି? ଆଉଥରେ ମୃତ୍ୟୁର ଚିଟାଉ?

ନା… ନା-

ଆମେ ଶାନ୍ତି ଚାହୁଁ!!

 

ହୋଇନି ତା ଇତିହାସ… ରକ୍ତମୁଖା ନାଜୀ ଜାନୁଆର

ଭିଆଇଲା ଯେତେ ହତ୍ୟା ଆଜି ମଧ୍ୟ ସରିନି ବିଚାର

ସେ ସବୁରି। ଶାନ୍ତି ଫର୍ଦ୍ଦେ ଆର୍ଦ୍ର ଅଛି ଏବେ ବି ସନ୍ତକ

ମୃତବତ୍ସା ଜନନୀର ନେତ୍ରପ୍ରାନ୍ତେ ଝରୁଛି ଲୋତକ

ଏବେ ବି ତ। ଏବେ ବି ତ ମେସିନ୍‌ଗନ୍‌ ଗିରୀଫଟା ଟାଟା-

ଅଛି କାନେ। ହଜିଗଲା ସୈନିକର ମିଳିନାହିଁ ପତ୍ତା।

ପ୍ୟାରୀ ପରିଷଦ ଗୃହେ ଲାଗିନାହିଁ ସାନି ପଲସ୍ତରା।

ହାୟ ହାୟ କରି ଉଠେ ନିର୍ଯାତିତା ଦଗ୍‌ଧ ବସୁନ୍ଧରା।

ଉତ୍‌ପୀଡ଼ିତ ଜନତାର ତପ୍ତଶ୍ବାସେ ଭାରାକ୍ରାନ୍ତ, ବାୟୁ

ଏବେ ମଧ୍ୟ। ପୁଣି ଯୁଦ୍ଧ?

ନା… ନା-

ଆମେ ଶାନ୍ତି ଚାହୁଁ!!

କୋଟି କୋଟି ଗ୍ଲାନି ଜଡ଼ିରହେ ଏ ଜୀବନେ…ତଥାପି ତା ପ୍ରିୟ

ଲାଗେ ଅତି।

ଟିକିଏ କୋହଳ କର ସର୍ବଗ୍ରାସୀ ମୁନାଫାର ଜାବ।

ଲୋଡ଼ୁ ଖାଲି ଚାଖଣ୍ଡକ ଲାଗି ଠାବ… ଚାଲିଛି ନିଶାପ

ମହଙ୍ଗାଭତ୍ତାର। କହ, ତେଲ ଲୁଣ ଘେନି ଏ ସଂସାର

ମିଟାଇଛି କିଏ ଭାଇ? ଚାରିଦିଗ ଦିଶୁଛି ଅନ୍ଧାର:

ଦିନୁଁ ଦିନ ଚଢ଼େ ଦର; ଟଙ୍କାକରେ ସେରେ ତ ଚାଉଳ,

 କି କାଳ ଘୋଟିଲା ହାୟ! କପାଲୁଗା ହେଲା ପାଟମୂଲ।

ସପନ ହୋଇଛି କନ୍ଦ, ଖସିନାହିଁ କିରାସିନି ଭାଉ।

ନା… ନା-

ଆମେ ଶାନ୍ତି ଚାହୁଁ!!

 

 

( କବିତାଟି ପାଣ୍ଡୁଲିପି ଅବସ୍ଥାରେ ହିଁ ଆବିଷ୍କୃତ ହୋଇଛି। ଯେତେଦୂର ମନେହୁଏ, ଏହା ଅପ୍ରକାଶିତ ଓ ୧୯୫୧ ସାଲ ଜାନୁଆରୀ ୨୦ ତାରିଖରେ ରଚିତ।)




+ -

© Jataayu Charitable Trust
Site designed,developed & maintained by Tekons