ସମାଲୋଚନା


॥ ବଗଲା॥

ପାଟ ମଝିରେ ଏଇ ଯେ ଦିଶେ ଡ଼େଙ୍ଗା ଦୁଇ ତାଳ

ତାହାର ତଳେ ଦିଶୁଛି ଟିକି-?

କେତେ ଭଙ୍ଗା ଫଡ଼ା ଚାଳ…

ସେଇଠି।

॥ବଗୁଲୀ॥

ସେଇଠି କ’ଣ?

॥ବଗଲା॥

ସେଠି ମଣିଷ ଥିଲେ,

ଗାଁ ଥିଲା

ଥିଲା ଘରବାରି-

ବଳଦ ଗାଈ, ମେଣ୍ଢା, ଛେଳି, ଶୁଆ ଆଉ ଶାରୀ

କାଉ କୋଇଲି ରାବିବା ଆଗୁ

କନିଆ ବହୂ ବାସନପାତି ମାଜେ,

ରାତି ଥାଉଣୁ ଗାଧୁଆ ସାରେ-

ବୋଲିବେ କିସ ଉଠିଲେ କିଏ? ମରିବ ସିନା ଲାଜେ।

ପଧାନ ପୁଅ କାଳିଅନ୍ଧାରୁ ବଳଦ ଯୋଚି ହଳେ

ଯାଏ-

ଗାଁ, ଦାଣ୍ଡରେ ଈଷ ଘୋଷାରି

ସାଆଁତ ଘରେ ଡ଼ାକଟେ ମାରି

ପାଟିରେ ଯାକି ଚୂନପତର କଳେ।

ଦେଉଳ ହେବ ପଛିମ ପଟେ

ଏବେ ଲାଗି ରହିଛି ସେହି ଚାଳୀ-

ଯେଉଁଠି ବସେ

ଅବଧାନର ଗହଳୀ ଚାଟଶାଳୀ;

ସାବଧାନଲୋ ! ପାକୁଆ ବୁଢ଼ା ସାଇତି ଥାଏ ଛାଟ

ପିଠି ଉପରେ ପାହାରେ ଦେବ ହୁଡ଼ିଛୁ ଯେବେ ପାଠ।

ବଡ଼ି ସଅଳୁ ସ୍ନାହାନ ସାରେ ଗୋସେଇଁ ନିଚିପର

ଜାଣେ ସେ ପରା ମନ୍ତ୍ର କିସ

ଯହିଁରେ ଭାଜେ ପହଡ଼ ଦିଅଁଙ୍କର,

ଘଣ୍ଟାବାଜେ, ଶଙ୍ଖ ଡ଼ାକେ, ମଥାଣପରେ ସୂର୍ଯ୍ୟ ଯେବେ ବଢ଼େ

କୁସୁମଡ଼ାଲା ଅଣାଇ ମାଳୀ, ସକାଳ ନୀତି ବଢ଼େ।

 

ସେଣେ-

ପୋଖରୀ କୂଳେ ମାଇପି ସଭା କେତେ ଯେ କଥା, ଭାଷା

ଗୋପନ କଥା, ସପନ କଥା,

 ଦୁଃଖ ସୁଖ ବେଦନା ଆଉ ଆଶା-

କାଳିଆ ପାଣି ଉଜ୍ଜଳ ଦିଶେ, ନାଲିଆ କଇଁ ଦୋଳେ

ତୁଠରେ ବସି ଅଳସ-ହାତେ କୋଉ ରମଣୀ

ହଳଦି-ତେଲ ଚିଖଲ ଦେହେ ବୋଳେ।

 

 

ସେପଟେ-

ଗାଁ ଦାଣ୍ଡରେ ହଟଚଟ ଦେଖାଏ-

ମୁଣ୍ଡପୋତା କେଳା

କା ଘରୁ ମିଳେ ତବତ ଭାତ

କିଏ, ବା ପଖାଳ ଶାଗ ଦେଲା

 

ଗାଆଁଟା ଯାକ ଭଲରେ ଥିଲେ।

ପଡ଼ିଆ ହୋଇ ପଡ଼ିଛି ଯାହା

ବିଜନ ଏହି ବିଲେ

ଚଷା ଉଠାଏ ରତନଚୁଡ଼ି ଧାନ;

ତନ୍ତୀ ବୁଣେ କୁମ୍ଭପକା ଶାଢ଼ୀ,

ବେହେରା ଘରେ କ୍ଷୀର-ଲବଣୀ ଭାସେ,

କେଉଟ ଦିଏ ଭେକଟି ମାଛ ଭେଟି;

କପଡ଼ା ଯେତେ ସଫେଦ୍‌ କରେ ସେଠୀ

-ସଫେଦ୍‌ ସଖି, ତୋହରି ପକ୍ଷୀ ଭଳି

 

॥ବଗୁଲୀ॥

ଏବେ ନିଜନ ଦିଶେ-

॥ବଗଲା॥

ନିଜନ ଏବେ ଲକ୍ଷ୍ମୀଛଡ଼ା ଥଳି

॥ବଗୁଲୀ॥

କିଆଁ?

॥ବଗଲା॥

ମଣିଷ ହେଲା ମଣିଷ ଖିଆ

ସମାଜ ହେଲା ଆନ।

ଉଦୁଉଦିଆ ଦିହିପହରେ

ଏହି ଗହୀରେ

ତାଗଡ଼ା ଯେତେ, ଭେଣ୍ଡିଆ ସାଥେ

ଡ଼ାଁକିନୀର ହୋଇଲା ଦିନେ ଭେଟ,

ସବୁରି ଦେହୁ ଶୁଖିଲା ଲହୁ

ଏକା, କୃଷ୍ଣ ସାହୁ

ବୋଲାଇ ହେଲା ଶେଠ।

ତା’ର, ମୁନାଫା- ନିଶା-ଟୁଳ ଆଖିରେ

ଜନତା ଦିଶେ ସାନ,

ଆଗୋ, ସମାଜ ହେଲା ଆନ।

 

ଚଷା ଶୋଇଲା ପେଟରେ ଭୋକ ମାରି,

ମାମଲା ଶେଷ ହାଇକୋର୍ଟରେ ବଢ଼େଇ ଗଲା ହାରି,

 ଗୋସାଇଁ ସାର କରିଲା ପେଷା-

କଲିକତାର କୋଇଲାଖିଆ ଚୁଲି,

କମାର ହେଲା ବର୍ମାଦେଶ କୁଲି।

ବାଉରୀସାଇ କା କଥା କହିବି? ଲୋ-

ସବୁଟି ବୁଢ଼ା ଦାଗୀ,

ବାକି ଯେ ଲୋକ

ଏ ଗାଁ, ସେ ଗାଁ ବାରଦୁଆର

ଭିକ ମୁଠାଏ ମାଗି।

॥ବଗୁଲୀ॥

ହଜାରେ ଜନ ତୋଟିକି କାଟି ଜଣେ ହୋଇବ ଧନୀ।

॥ବଗଲା॥

ହାଃ, ହାଃ ଯେମିତି-

କୋଟି ଝିଣ୍ଟିକା ମାରିଲେ ଜୀଏ ଗୋଟିଏ ରାଜବଣୀ।

॥ବଗୁଲୀ॥

ଏବେ ସେ ଥାନାରେ-?

॥ବଗୁଲୀ॥

-ମଣିଷ ନାହିଁ ଅଛି ତାର ହାଡ଼,

ପୋଖରୀଟାରେ ନାହିଁ ବି ଆଉ

ଗୋଟିଏ କଇଁନାଡ।

ହେଇଲୋ ଚାହାଁ ଧୋବା ଦିଶୁଛି

ଗାଆଁର ସେହି ତଳି।

॥ବଗୁଲୀ॥

ମୋର ଛାତି ଭିତର ଉଠୁଛି କିଆଁ ଥରି।

ଚାଲ ହେ ସଖା ଏ ଥାନ ଛାଡ଼ି

ଉଡ଼ିଣ ଯିବା ସଦୟ ଦେଶେ କାହିଁ-

ସଂସାରର ଦୁଃଖ କାଟି ସମାଜ ଯହିଁ ଛୁଟିଛି ବେଗେ

ଜୀବନ- ନାଆ ବାହି।

॥ବଗଲା॥

ଯିବା-

॥ବଗୁଲୀ॥

ସାଥୀ, ପସାର ଡ଼େଣା-

॥ବଗଲା॥

ସାଥୀ ପଛକୁ ଅନା-

ସେହି ଥାନେ ଘୋଟିଲା ଏବେ

ମରଣ କଳା ଛାଇ

॥ବଗୁଲୀ॥

ସେ ସୀମା ଛାଡ଼ି ଆସିଛେ ଉଡ଼ି

ଓଃ, ତ୍ରାହି, ତ୍ରାହି, ତ୍ରାହି।

 

 




+ -

© Jataayu Charitable Trust
Site designed,developed & maintained by Tekons