ଏ ମୋର ସନ୍ତକ


କପୋତୀର ପକ୍ଷ ତଳେ କାଟିଦେଲି ଏ ମୋର ସନ୍ତକ-

ବ୍ୟର୍ଥ ଏହା ହେବ ନାହିଁ, ନୁହେଁ ଏହା କେବେ ନିରର୍ଥକ।

ନିରର୍ଥକ ନୁହେଁ କେବେ ଜନଗଣ ସମ୍ମିଳିତ ସ୍ବର,

ଦାବିର ଅସଂଖ୍ୟ ମୁଷ୍ଟି, ଲକ୍ଷକୋଟି ନୟନର ଜଳ।

 

ପବିତ୍ର ଏ ସ୍ବକ୍ଷରରେ କିଏ ତୁମେ କର ଉପହାସ

ବ୍ୟଥିତ ବୁକୁର ଭାଷା, ମଣିଷର ତତଲା ନିଶ୍ବାସ-

କୋଟିର ପୁକାର ଏହା, ପାଞ୍ଚଜନ୍ୟେ ମନ୍ତ୍ର ସଞ୍ଜୀବନୀ,

ମରଣ ନରକରୁ ଜୀବନର ଉଜ୍ଜଳ ସରଣୀ।

 

ଏ ଆବାଜ ଛୁଟିଯିବ ଝଡ଼ ପରି ଗ୍ରାମୁଁ ଗ୍ରାମାନ୍ତରେ;

ଏ ଧ୍ବନି ତୋଳିବ ନିଶ୍ଚେଁ ପ୍ରତିଧ୍ବନି ପ୍ରତ୍ୟେକ ଅନ୍ତରେ;

ରଣାଙ୍ଗନେ ଘାତକର କ୍ରୂରହସ୍ତ କରିବ ଶିଥିଳ,

ମାନବର ରୋଷାନଳେ ଧସିଦେବ ଯୁଦ୍ଧର ଶିବିର।

 

ପ୍ୟାରୀର ଅମର ପରୀ ଦେଶେ ଦେଶେ କରିଛି ଘୋଷାଣା

ଶାନ୍ତିର ଅମୃତ ବାର୍ତ୍ତା-ହେ ମଣିଷ, ମାରନା, ମରନା।

ଷ୍ଟକହୋମ୍‌ ମାନବାତ୍ମା, ୱାରସର ଗଣଦରବାର

ଚିଠା କରେ ଇସ୍ତାହାର ପ୍ରେମପୂର୍ଣ୍ଣ ନୂଆ ଦୁନିଆର।

 

 

ନୋହୁଁ ଆମେ ଜାନୁଆର, ମିଥ୍ୟା ତୁମ ଜଙ୍ଗଲର ନ୍ୟାୟ।

ଶାନ୍ତିନୀଡ଼େ ଏ ଜୀବନ ଛନ୍ଦ ରଚେ କଳରବ ପ୍ରାୟ।

କପୋତୀର ପକ୍ଷତଳେ କାଟିଦେଲି ତେଣୁ ଏ ସନ୍ତକ;

ଜନତାର ମସୀଧାରେ ଭାସିଯାଉ ଅସିର କଳଙ୍କ।

 

(ଶ୍ରୀ ଗଙ୍ଗାଧର ରଥଙ୍କ ସମ୍ପାଦିତ ‘ ସଂକେତ’ ପତ୍ରିକାରେ ପ୍ରକାଶିତ)




+ -

© Jataayu Charitable Trust
Site designed,developed & maintained by Tekons