ଘରଢ଼ିଙ୍କି


ମନ୍ତ୍ରୀ ହୋ, ଗୁଣ ଗାଉଥିବୁ ତୁମରି-

ମାୟାବୀ କଥାରେ ସ୍ବାଧୀନତା ବୋଲି କୁହୁଡ଼ିରେ ଗଲୁଁ ପହଁରି।୦।

 

ମାଉଣ୍ଟବାଟେନ୍‌ କପି ହେଲା କାଜି,

ଯୋତା ଚାଟିବାକୁ ନେତା ହେଲେ ରାଜି,

ଗୋରା ପୁଞ୍ଜିଜଗା   ହାତପାତି-ମଗା ମୁକତି ନୁହଁ ସେ, ନକଲି।୧।

 

ଗାନ୍ଧୀ ଗାନ୍ଧୀ ବୋଲି ଆଖି ବାନ୍ଧି ଦେଇ

ରାମାନନ୍ଦୀ ଚିତା ସଳଖେ ଚଢ଼େଇ

ରାମରାଜ୍ୟ ଫନ୍ଦି    ଫିକରରେ ଗାଦି

(ଭଲା) ମାରିନେଲା ଚୋରା-ବେପାରୀ।୨।

 

ଚଷା କଂସା ବିକି ଜମିଦାର ପୋଷା

ରଜା ଖଜା ଖିଆ ନୂଆକର ବସା

ଶୋଷା ସରକାର  ନିତି କରେ ଓଷା, ଆମେ କାଳୀଗାଈ ଦୁହାଳି।୩।

 

ଟଙ୍କାରେ ମାଣେ ନ ମିଳେ ଚାଉଳ

ଦଶଗୁଣା ହେଲା ଦରବର ମୂଲ

ହରବର ହୋଇ   ମରିଲୁ ତ ଆମେ, ହାତରୁ ସରିଚି କଉଡ଼ି।୪।

 

ଦିନକରେ ଥରେ ଜଳେ ନାହିଁ ଚୁଲି

ପାଟି କଲେ ଲାଠି, ହଲିଗଲେ ଗୁଳି,

ଘର ଢ଼ିଙ୍କି ମୋର   କୁମ୍ଭୀର ହୋଇଲା କା ଆଗେ କରିବି ଗୁହାରି?।୫।

 

 




+ -

© Jataayu Charitable Trust
Site designed,developed & maintained by Tekons