ଖଜୁରୀ ଗଛ


ଖଜୁରୀ ଗଛ ତ ପାହାଚ ପାହାଚ

କେତେ ବାହୁନିବ ଗୁଣ ଲୋ

କମ୍ପାନୀ ପଛକୁ କଂଗ୍ରେସ ଅଇଲା

କଟା ଘା’କୁ ଯେହ୍ନେ ଲୁଣ ଦେଲା।୦।

 

ଧାନ ନଉତିକ ହେଲା ଦେଢ଼ଟଙ୍କା

କପଡ଼ା ନ ମିଳେ କାହିଁ;

ସାତ ନାହୁରାରେ ଚିନି ଛଟାଙ୍କିଏ,

ସେତକ କିଳାପୋତେଇ

ବୋଟ ଉପରକୁ କିଣି ମହାସୁଲ

ଟଙ୍କା ନୁହେଁ ଅଣା ଶୂନ ଲୋ।

ଚଢ଼ା ହେଲା ଭାଉ,

 ଜମି ନେଲା ସାହୁ;

ବଞ୍ଚିବି କି ଆଉ?

ଧୋବା ଟୋପି ଦାଉ

ଅଧିକ ହେଲାଣି ଋଣ ଲୋ।୧।

  

କଳା ଚିକି ମିକି ମଟର ଗାଡ଼ିଲୋ

କାଳିଆ ବସିଛି ତହିଁ

ଶୁଖିଲା ଭୂଇଁରେ ବାଳିଆ ପିଟୁଛି

ସେ କାଳେ ମନ୍ତ୍ରୀ ଜୋଇଁ।

ଆମେ ମାଟି କାଟି

ମରୁ ଖଟି ଖଟି

ପୋକ ମାଛିଠାରୁ ହୀନ ଲୋ।୨।

 

ହଳ କରି କରି ବଳ ଝଡ଼ି ଗଲା

ପେଟତ ନୋହିଲା ଓଦା

ହାଟେ ବାଟେ ଘାଟେ ଟିକସ ଆକଟି

କନିକା ମାରୁଛି କୁଦା।

ପଡ଼ିଲାଣି ଜଣା ହୋଇଛି ଯୋଜନା,

ଖଜଣା ହେବ ଦି’ ଗୁଣ ଲୋ।୩।

 

ବିନା ବିଚାରରେ ଅଟକ ଆଇନ;

ତୁଣ୍ଡେ ବାନ୍ଧି ଦେଲା ତୁଣ୍ଡି;

ପାଟି ଖୋଲିବାକୁ ଶକତି କାହାର;

ମାତାଲର ସାକ୍ଷୀ ଶୁଣ୍ଡି।

ହେ ଚୌରାଳିଶ ଚଳାଇଛି ଦେଶ।

ରାମରାଜ୍ୟ ପୋଥି ଶୁଣ ଲୋ।୪।

 

କଳା ଭାଲୁ ମୋର ଗାଲୁଗହୀରରେ

ବାରବାଟୀ କରେ ଚାଷ

ଫସଲ ବଢ଼ୁଚି ନିଶ ମୋଡ଼େ ଟାଣେ,

 ବିଲରେ ବଢ଼ୁଛି ବହଳ ଘାସ

କହେ ଜମିଦାର ଜମିରୁ ନିକଲ

(ଏଥର) ଆକାଶେ ବିହନ ବୁଣ ଲୋ।୫।

 

ଗୋରା ବେପାରୀ କି ଜୋରା ବେପାରୀ ଲୋ

ମିଳିଗଲେ ଦୁଇ ମିତ

ଚାରି ଚିରେ ମୁହିଁ ଲଗାଇ ଦୁହିଁଲେ

ଅସଂଭାଳ ଦେଶହିତ

ସେବା ଭାବେ ଲୁଟି ଲାଭ ନେଲେ ଛୁଟି,

ମଞ୍ଜିକୁ କାଟିଲେ ଘୁଣ ଲୋ।୬।

 

ଆପଣା ପେଟକୁ ନିଅଣ୍ଟ ଦରମା

କାହିଁ କିଣିବ ଶାଢ଼ି,

 ସଂସାରୀ ହେବାକୁ ଆମକୁ କି ସାଜେ?

ଭାରିଯାକୁ ଦେଲି ଛାଡ଼ି;

ଘରଭଡ଼ା ହେଲା ସାତ ଗୁଣ ଚଢ଼ା

ଅଧିକ ହେଇଲା ଋଣଲୋ।୭।

(୧)

ଶୁଣ ଶୁଣ ଭାଇ ମରମ ଫିଟାଇ କହିଲି

କାକ ପୋଷିଥିଲା କୋଇଲି।

ଯେତେ ସେ ରାବିଲା    ଯେତେ ଶିଖାଇଲା

ମୁଁ ତ କା- କା କେବେ ନୋହିଲି।

କହେ ମାର୍କସ୍‌ବାଦ ସବୁଠୁ ଦରିଦ୍ର

ଜନତାର ଦାବି ପହିଲି।

(ଅସମାପ୍ତ)

 

 (୨)

ଖଣ୍ଟ ହାତେ ଦେଲି ଖଣ୍ଡା

ଶୁଣ ମୋ ଭଉଣୀ ଦୁଃଖୀର ଦୟିନୀ

କଂଗ୍ରେସ ଆଇନ କଥା।

ଜମିଦାର ଚଣା-   ଖିଆକୁ ଖଜଣା

ଚାଷୀମୁଣ୍ଡେ ବୋଳା ଅଠା।

ଏହି ସେ କନିକା   ଗଣି ଚୁଲି ଝିଙ୍କା

କଷା ହୁଏ ଯାର କର।

(ଅସମାପ୍ତ)

 

(୩)

ବୃଥା ନୁହେଁ, ନୁହଁ ତାହା ଖାଲି ଦସ୍ତଖତ

ରୁଷ, ଅଂରେଜ, ଫରାସୀ, ଚୀନ୍‌, ଓ ଭାରତ

ହିନ୍ଦୁ ଓ ମୁସଲମାନ ଖୀରସ୍ତାନ ବୌଦ୍ଧ

ନିଗ୍ରୋ ଆଉ ଗୋରା ମିଳି କୁଟୀର ଓ ସୌଧ

ଜାତି ଧର୍ମ, ଭାଷା ସବୁ ସୀମାବଦ୍ଧ ଡ଼େଇଁ

ଏକ ଫର୍ଦ୍ଦେ ରଖାଯାଏ… ସଇ।

(ଅସମାପ୍ତ)

 

 




+ -

© Jataayu Charitable Trust
Site designed,developed & maintained by Tekons