ଶତାଦ୍ଦୀ ଓ ଶତାଦ୍ଦୀ




ଘର୍ଘର ଆବାଜ

ଶତ୍ରୁ! ଶତ୍ରୁ! ବୋମା ବୋମା!

ଓ : ଏମ୍ବୁଲେନସ୍‌ ଲରୀ

ପଳାୟମାନ ଜନତାକୁ ରୋକେ ସିଭିକ୍‌ଗାର୍ଡ଼।

ଶୋଇପଡ଼! ଶୋଇପଡ଼! ଚୋର! ଚୋର!

ଅମାନିଆ ବେଗ ଛୁଟିଗଲା

ଆଗ ପଛ ତିନିଟା ମୋଟର

ଘେନି ନିଆଁଲିଭା ଦଳ

ଘର୍ଘର ଆବାଜ..

ଉଡ଼ାଜାହାଜ!

ଶତ୍ରୁର?

ଆମର?

????!!!!??!?!!

ମ୍ୟୁନିସିପାଲିଟିର ମଡ଼ାବୁହା ଗାଡ଼ି

ତୋଳି ନିଏ ସ୍ଥାନେ ସ୍ଥାନେ ତା’ର ଯାତ୍ରୀ

ରାତ୍ରୀର କମାଣ ଫୁଟ ଅନ୍ଧାରର କଳାଧୂଆଁ ଉଦ୍‌ଗାରି

ଉଚ୍ଚ ନୀଚର କରି ସମାନ!

ଏ.ଆର୍‌.ପି. ପୋଷ୍ଟରେ ଜଳି ଉଠେ ନିଷ୍ପ୍ରଭ ବତୀ।

ସେଲ୍‌ଟର ତଳୁ ଆସେ କୁକୁରୀର ପ୍ରସବ-ବେଦନା

ଶାନ୍ତିଃ, ଶାନ୍ତିଃ,ଶାନ୍ତିଃ।

ଏପରି ଏକ ସନ୍ଧ୍ୟାରେ

ଆଜିଠାରୁ ବିଂଶ ବର୍ଷ ପରେ

ଗ୍ରାମେ ଗ୍ରାମେ ନଗରେ ନଗରେ

ସମ୍ମିଳିତ ସ୍ବରେ

ଆମେରେ ଗାଇବା ଗାନ

ଲଳିତ କଣ୍ଠେ, କଳିତ ଛନ୍ଦେ ପ୍ରାଣେ ମିଳାଇ ପ୍ରାଣେ;

ଗୋଟି, ଲାଗି ଗୋଟିଏ ଚାହିଁ

କୋଟିଏ ଲାଗି ଗୋଟିଏ ରାୟ

ଊର୍ଦ୍ଧେ ଊର୍ଦ୍ଧେ ଉଠାଅ ସାଥୀ

ଉଠାଅ ରଙ୍ଗା ନିଶାଣ।

ଲଳିତ କଣ୍ଠେ, କଳିତ ଛନ୍ଦେ ପ୍ରାଣେ ମିଳାଇ ପ୍ରାଣ

ଆମେରେ ଗାଇବା ଗାନ:

ସେ ଗାନ ଉଠିବ ଗଗନ ଭେଦି

 ସେ ମାନ ଉଠିବ ବନ୍ଧନ ଛେଦି

ବନ୍ଧନହୀନ ଆମ

ମୁକ୍ତିର ନବତନ ଅଭିଯାନ

ବିଂଶ ବର୍ଷ ପରେ ବନ୍ଧୁ ତୁମ ସାଥେ ଗାଇବା ଏ ଗାନ।

 

ଏପରି ଏକ ସନ୍ଧ୍ୟାରେ

ଆଜିଠରୁ ବହୁ ବର୍ଷ ପରେ

ଅନ୍ତରେ ଅନ୍ତରେ

ହେବ ଅନନ୍ତ ବିକାଶ

ଶିଶିରେ ଯେହ୍ନେ ଆକାଶ।

ଅଦ୍ଭୁତ ଉଦୟ

ପରଂ ଜ୍ଞାନମୟ

ତମଃ ଦୂରଂ ଗଚ୍ଛ

ଆଲୋକର ଉତ୍ସ…

ଭର୍ଗୋ ଦେବସ୍ୟ ଧୀମହି

ଧିୟୋ ଯୋ ନଃ ପ୍ରଚୋଦୟାତ୍‌

ଉତ୍ତିଷ୍ଠତ, ଜାଗ୍ରତ

ପ୍ରାପ୍ୟବରାନ୍‌ ନିବୋଧତ

ବିଶ୍ବପ୍ରାଣେ

ନିର୍ବାଣ

ସୋହଂ

ଓଁ




+ -

© Jataayu Charitable Trust
Site designed,developed & maintained by Tekons